ପୁରୁଷୋତ୍ତମପୁର:୯.୦୫ (ବ୍ୟୁରୋ)
ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବଡଖରିଡା ପଞ୍ଚାୟତ ଅଧୀନ ବାଣନଇ ଛକରେ ପାଣି ସମସ୍ୟାକୁ ନେଇ ଆଜି ଶତାଧିକ ଗ୍ରାମବାସୀ ଗରା ଓ ବାଲ୍ଟି ରଖି ରାଜ୍ୟ ରାଜପଥ ଅବରୋଧ କରି ପ୍ରତିବାଦ କରିଥିଲେ।ଦୀର୍ଘ ଦିନ ଧରି ଗ୍ରାମରେ ପାଣି ସଂକଟ ଲାଗି ରହିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଲୋକମାନଙ୍କ ଅସନ୍ତୋଷ ହୋଇ ରାସ୍ତାକର ଆସିଥିଲେ । ଏହାର ପରିଣତି ସ୍ୱରୂପ, ଗ୍ରାମବାସୀମାନେ ଶନିବାର ସକାଳୁ ରାସ୍ତା ଉପରେ ଗରା ଓ ବାଲ୍ଟି ରଖି ଧରଣା ଦେଇ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।ଏହି ଅବରୋଧର ଫଳରେ ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ-୩୦ ଉପରେ ଯାତାୟାତ ସଂପୂର୍ଣ୍ଣ ଠପ ହୋଇଯାଇଥିଲା। ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଯାନବାହନ ଅଟକି ରହିଥିବା ବେଳେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗ୍ରାମବାସୀମାନେ ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ ଏବଂ ପାଣି ସମସ୍ୟାର ସମାଧାନ ନ ହେଉ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବାକୁ ଜିଦ ଧରିଥିଲେ ।ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ପରେ ସ୍ଥାନୀୟ ବିଧାୟକ ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କ ହସ୍ତକ୍ଷେପ ସନ୍ଧ୍ୟା ସୁଦ୍ଧା ଦୁଇଟି ଟ୍ୟାଙ୍କର ପାଣି ଯୋଗାଇବାକୁ ପ୍ରତିଶୃତି ଦେବାରୁ ଗ୍ରାମବାସୀମାନେ ରାସ୍ତା ଅବରୋଧରୁ ଓହୋରିଥିଲେ ।ଏହି ଘଟଣାର ଶୀଘ୍ର ସ୍ଥାୟୀ ସମାଧାନ ନହେଲେ ପୁଣି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ।