ଦିଗପହଣ୍ଡି,୯/୦୫୯( ବ୍ୟୁରୋ)   ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ  ମା’ ବାମଦେଇ ଠାକୁରାଣୀଙ୍କ ୭ ଦିନବ୍ୟାପୀ ଯାତ୍ରା ମହୋତ୍ସବ  ଶୁକ୍ରବାର ଠାରୁ ଶୁଭାରମ୍ଭ ହୋଇଛି ।ଯାତ୍ରା ନିମନ୍ତେ ସମଗ୍ର ଗାଁ ଉତ୍ସବ ମୁଖର ହୋଇଛି। ଅସ୍ଥାୟୀ ପୀଠରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସମଗ୍ର ଗାଁ ଝଲସି ଉଠିଛି । ପ୍ରତି ୩ ବର୍ଷ ବ୍ୟବଧାନରେ ମା’ଙ୍କ ଯାତ୍ରା ଆୟୋଜିତ ହୋଇ ଆସୁଛି। ଜ୍ୟେଷ୍ଠ କୃଷ୍ଣ ଷଷ୍ଠୀ ତିଥି  ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଯାତ୍ରା କମିଟି ସଭାପତି ନରସିଂହ ପ୍ରଧାନଙ୍କ ସମେତ ଯାତ୍ରା କମିଟିର ୩୫ ସଦସ୍ୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା  ଏବଂ  ଗ୍ରାମବାସୀଙ୍କ ଉପସ୍ଥିତିରେ ପୂର୍ବ ପ୍ରଚଳିତ ନୀତି କାନ୍ତି ଅନୁଯାୟୀ ମା’ଙ୍କୁ ମହାସ୍ନାନ କରାଯାଇ ନୂତନ ବସ୍ତ୍ର ଆବରଣ ପରେ ସେବା ପୂଜା ସାନ୍ଧ୍ୟ ଆଳତି କରାଯାଇଥିଲା।ମାଙ୍କୁ ଭୋଗରାଗ ଅର୍ପଣ ପରେ ଅସ୍ଥାୟୀ ଯାତ୍ରାପୀଠକୁ ଯିବା ନିମନ୍ତେ ମା’ଙ୍କୁ ଯାତ୍ରା କମିଟି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ସେବାୟତ ବୃନ୍ଦ ଓ ପୁରୋହିତ ଦୀର୍ଘ ସମୟ ପୂଜା ଆରାଧନା କରିବା ପରେ ମା‘ଙ୍କ ମସ୍ତକରୁ ଆଜ୍ଞାମାଳ ଫୁଲ ଖସିଥିଲା। ଏକ ସୁସଜ୍ଜିତ ତାଟରେ ଫୁଲମଣ୍ଡା ସହ ମା‘ଙ୍କ ଚଳନ୍ତି ପ୍ରତିମାକୁ ରଖାଯାଇ ବାଦ୍ୟ ବାଜଣା ସହକାରେ ବାଘ, ଘୋଡ଼ା, ତାଳ କୀର୍ତ୍ତନ କରି ବେଶ ପଟୁଆରରେ ମାନସିକ କରିଥିବା ମହିଳା ମାନେ ମସ୍ତକରେ ଘଟ ଧରି ବମକୋଇ ଗ୍ରାମ ପରିକ୍ରମା କରିବା ପରେ  ମା’ସାଆନ୍ତାଣୀ ଅସ୍ଥାୟୀ ଯାତ୍ରାପୀଠରେ ପ୍ରବେଶ କରିଥିଲେ।ସେଠାରେ ଘୃତ ହୋମ କରାଯାଇ ମା’ଙ୍କ ପୂଜର୍ଚନ ସହ ।ନିଶାର୍ଦ୍ଧରେ ମା’ଙ୍କ ପହୁଡ଼ ନୀତି ସମାପନ ହୋଇଥିଲା।