ସ୍ୱଚ୍ଛ ବ୍ରହ୍ମପୁର ଗଢ଼ିବା ଲକ୍ଷ୍ୟରେ ୭ ବର୍ଷ ଧରି ଅବିରତ ସେବା ଓ ସଚେତନତା ଅଭିଯାନ
କୌଣସି ସରକାରୀ ଅନୁଦାନ ବିନା ନିଜସ୍ୱ ଉଦ୍ୟମରେ ଜନହିତକର କାର୍ଯ୍ୟ ଜାରି
ସେବାରେ ଅନୁପ୍ରାଣିତ ହୋଇ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଓ ଗଜପତି ଏସ୍ପି ଅଭିଯାନରେ ସାମିଲ ହୋଇଥିଲେ

ବ୍ରହ୍ମପୁର, ୨୬/୭(ରାଜେଶ କୁମାର ସାହୁ)
ସ୍ୱଚ୍ଛ ଓ ସୁନ୍ଦର ବ୍ରହ୍ମପୁର ଗଢ଼ିବାର ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ମାତ୍ର ପାଞ୍ଚ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ସାତ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ‘ଟିମ୍ କ୍ଲିନ୍ ସିଟି (ଟିସିସି)’ ଆଜି ସାମାଜିକ ସେବାର ଏକ ସଫଳ ଓ ପ୍ରେରଣାଦାୟକ ଅଭିଯାନରେ ପରିଣତ ହୋଇଛି। ଆରମ୍ଭରେ ହତଗଣତି ସଦସ୍ୟଙ୍କ ସହ ଆରମ୍ଭ ହୋଇଥିବା ଏହି ସଂଗଠନରେ ବର୍ତ୍ତମାନ ୪୦ରୁ ଅଧିକ ସକ୍ରିୟ ସ୍ୱେଚ୍ଛାସେବୀ ନିୟମିତ ଭାବେ ସାମିଲ ହୋଇ ସହରର ସ୍ୱଚ୍ଛତା ଓ ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଛନ୍ତି।

ସଂଗଠନ ପକ୍ଷରୁ ରାସ୍ତା ପାର୍ଶ୍ୱ ପ୍ରାଚୀରରୁ ପୋଷ୍ଟର ଓ ପ୍ଲାଷ୍ଟିକ୍ ଫ୍ଲେକ୍ସ ହଟାଇବା ଓ ଯାତ୍ରୀ ଆଶ୍ରୟସ୍ଥଳୀ ସଫେଇ, ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ, ଅସହାୟ ଓ ନିରାଶ୍ରୟ ବ୍ୟକ୍ତିଙ୍କୁ ସହାୟତା,ମାନସିକ ଭାବେ ଅସୁସ୍ଥ ଲୋକଙ୍କ ସେବା ଏବଂ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସାଳୟରେ ପହଞ୍ଚାଇବା ଭଳି ଅନେକ ଜନହିତକର କାର୍ଯ୍ୟ ନିଷ୍ଠାର ସହ କରାଯାଉଛି।

ପୂର୍ବରୁ ପ୍ରତିଦିନ ଏହି ସେବା କାର୍ଯ୍ୟ ଚାଲୁଥିବାବେଳେ ବର୍ତ୍ତମାନ ପ୍ରତ୍ୟେକ ରବିବାର ସାପ୍ତାହିକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଉଛି। ତେଣୁ ଆଜି ମେଡିକାଲ ଛକରୁ ଖୋଡ଼ାସିଙ୍ଗି ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ପ୍ରାଚୀର, ଯାତ୍ରୀ ଆଶ୍ରୟସ୍ଥଳୀ ସଫେଇ କରାଯାଇଥିଲା। ଏହି କାର୍ଯ୍ୟରେ ଟିମ୍ ସଦସ୍ୟଙ୍କ ସହ ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ।

ସବୁଠାରୁ ବଡ଼ କଥା ହେଉଛି, ଦୀର୍ଘ ସାତ ବର୍ଷ ଧରି ଏହି ସଂଗଠନ କୌଣସି ସରକାରୀ ଅନୁଦାନ କିମ୍ବା କୌଣସି ଅନୁଷ୍ଠାନର ଆର୍ଥିକ ସହାୟତା ଗ୍ରହଣ ନକରି ସମ୍ପୂର୍ଣ୍ଣ ନିଜସ୍ୱ ଉଦ୍ୟମରେ ଜନହିତକର କାର୍ଯ୍ୟ ଜାରି ରଖିଛି। ଏହି ନିଷ୍ଠା ଓ ସମର୍ପଣ ସଂଗଠନକୁ ସାଧାରଣ ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।

ଟିମର ଏପରି ସେବାମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଡାକ୍ତର, ଓକିଲ, ବ୍ୟବସାୟୀ, କଲେଜ ପଢୁଆ ଛାତ୍ରଛାତ୍ରୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଏହା ସହ ଯୋଡ଼ି ହୋଇଛନ୍ତି। ଏପରିକି ବିଦେଶ ଋ ଆସିଥିବା ବ୍ୟକ୍ତିବିଶେଷ ମାନେ ମଧ୍ୟ ଟିମର ସ୍ୱଚ୍ଛତା ଅଭିଯାନର ପ୍ରଶଂସା କରି କାର୍ଯରେ ଯୋଗ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରତକ୍ଷ୍ୟ ଭାବେ ସଫେଇ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର ଓ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ମଧ୍ୟ ସଂଗଠନର କାର୍ଯ୍ୟକୁ ପ୍ରୋତ୍ସାହନ ଓ ପ୍ରଶଂସା କରିଛନ୍ତି।

ବ୍ରହ୍ମପୁରରେ ସୀମିତ ନ ରହି ଟିମ୍ କ୍ଲିନ୍ ସିଟି ନିଜର ସେବା କାର୍ଯ୍ୟକୁ ଗଞ୍ଜାମ ଜିଲ୍ଲା ସହ ପଡ଼ୋଶୀ ଗଜପତି ଓ କନ୍ଧମାଳ ଜିଲ୍ଲା ପର୍ଯ୍ୟନ୍ତ ବିସ୍ତାର କରିଥିଲା। ଟିମର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଗଜପତି ଜିଲ୍ଲାର ତତ୍କାଳୀନ ଏସ୍ପି ସାରା ଶର୍ମା ମଧ୍ୟ ସ୍ୱୟଂ ଏହି ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ।ସହରର ସୌନ୍ଦର୍ଯ୍ୟ ରକ୍ଷା ପାଇଁ ବିଇଏମସି ପକ୍ଷରୁ ରାସ୍ତା ପାର୍ଶ୍ୱ ପ୍ରାଚୀରରେ ପୋଷ୍ଟର ଲଗାଇବା ଉପରେ ଜରିମାନା ବ୍ୟବସ୍ଥା କରାଯାଇଥିବା ବେଳେ, ବହୁ ଅର୍ଥ ବ୍ୟୟ କରି ଅଙ୍କିତ ସଚେତନତା ମୂଳକ ଚିତ୍ରଗୁଡ଼ିକର ସୁରକ୍ଷା କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ଟିମ୍ କ୍ଲିନ୍ ସିଟି ଆହ୍ୱାନ କରିଛି।“ଆସନ୍ତୁ, ସମସ୍ତେ ମିଶି ସ୍ୱଚ୍ଛ, ସୁନ୍ଦର ଓ ସବୁଜ ବ୍ରହ୍ମପୁର ଗଢ଼ିବାରେ ନିଜ ନିଜର ଦାୟିତ୍ୱ ପାଳନ କରିବା” ବୋଲି ସଂଗଠନ ପକ୍ଷରୁ ନାଗରିକଙ୍କୁ ଆହ୍ୱାନ କରାଯାଇଛି।

