ବେଗୁନିଆପଡା (ଗଞ୍ଜାମ), ୦୯/୦୫/୨୦୨୬(ବ୍ୟୁରୋ)
ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ନିକଟରେ ଆଜି ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ ମୃଦୁ ପାନୀୟ ଜଳ ବୋଝାଇ ଆସୁଥିବା ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିଥିବାରୁ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ବସ୍‌ରେ ଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ସୂଚନାନୁସାରେ, ପୋଲସରାରୁ ପୁରୀ ଅଭିମୁଖେ ଯାଉଥିବା “ଦୁର୍ଗା ମାଧବ” ନାମକ ଏକ ଘରୋଇ ବସ୍ ସହ କଟକରୁ କୋଦଳା ଅଭିମୁଖେ ଆସୁଥିବା ଟ୍ରକ୍‌ର ବାଲି ଢାବା ନିକଟସ୍ଥ ମୁଖ୍ୟ ରାସ୍ତାରେ ମୁହାଁମୁହିଁ ଧକ୍କା ଘଟିଥିଲା। ଏହାରେ ବସ୍‌ରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିବାବେଳେ ଟ୍ରକ୍ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିଲେ।ତାଙ୍କୁ ତୁରନ୍ତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆହତମାନଙ୍କ ମଧ୍ୟରୁ ପ୍ରମିତ କୁଣ୍ଡୁ ନାମକ ୭ ବର୍ଷର ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ରହିଛି ଓ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଖବର ପାଇ କୋଦଳା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ଅନ୍ୟାନ୍ୟ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡ଼ାଯାଇଛି।