୫ ଦଫା ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପ୍ରଦାନ

ବ୍ରହ୍ୱପୁର (୧୩/୦୫/୨୦୨୬) ଦିଗପହଣ୍ଡି ତହସିଲ ଅନ୍ତର୍ଗତ କୋଟିନଡ଼ା ଗ୍ରାମ ପଂଚାୟତର ଡ଼ଙ୍କାରୀ ମୌଜାରେ ଥିବା ମା ତାରିଣୀ ପଥର କ୍ରସରର ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ କ୍ଷତିଗ୍ରସ୍ତ ପାଞ୍ଚ ଗୋଟି ଗ୍ରାମର ଗ୍ରାମବାସୀମାନେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆଜି ପୂର୍ବାହ୍ନରେ ଦିଗପହଣ୍ଡି ତହସିଲର ଜକରାପଲ୍ଲୀ, ଡ଼ଙ୍କାରୀ ଓ ୩ ଗୋଟି ଆଦିବାସୀ ଗ୍ରାମ ଯଥା ସାନ ବୁରୁଡ଼ା, ବଡ଼ ବୁରୁଡ଼ା, ଚଢ଼େୟାଗରଦ ଆଦି ସମୁଦାୟ ପାଞ୍ଚଟି ଗ୍ରାମର ଶହ ଶହ ଗ୍ରାମବାସୀ ନିଜର ୫ ଦଫା ସମ୍ବଳିତ ଦାବିପତ୍ରରେ ସମ୍ପୃକ୍ତ କ୍ରସର ଯୋଗୁଁ ସେମାନଙ୍କର ଜୀବନ, ଜୀବିକା ଓ ପରିବେଶର କିପରି କ୍ଷତି ହେଉଛି, ତା’ର ଉଲ୍ଲେଖ କରିବା ସହିତ କ୍ରସରମାଲିକଙ୍କ ବେଆଇନ କାର୍ଯ୍ୟକଳାପର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ କ୍ରସର ମାଲିକର ବେଆଇନ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ସ୍ଥାନୀୟ ପୋଲିସ କିଛି ପଦକ୍ଷେପ ନେଉନଥିବାରୁ ବ୍ରହ୍ୱପୁର ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡ଼ଙ୍କାରୀ ମୌଜାରେ ଥିବା ଏହି କ୍ରସର ପାଇଁ କଞ୍ଚାମାଲ ଓ ଉତ୍ପାଦିତ ଗୋଡ଼ିର ପରିବହନ ପାଇଁ ସମ୍ପୃକ୍ତ ମାଲିକ ଜକରାପଲ୍ଲି ରାସ୍ତା ଓ ବେଲଘାଇ କେନାଲ କଡ଼ରେ ଥିବା ଏମ୍‌ଆଇ ରାସ୍ତାକୁ ବ୍ୟବହାର କରୁଛନ୍ତି । କେନାଲ କଡରେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ନିର୍ମିତ ଅଣ ଓସାରିଆ ରାସ୍ତାଟି କେବଳ କେନାଲର ରକ୍ଷଣା ବେକ୍ଷଣ ଓ ମରାମତି ପାଇଁ ଉଦ୍ଦିଷ୍ଟ ଥିବା ବେଳେ କ୍ରସର କର୍ତ୍ତୁପକ୍ଷ ତାକୁ ବେଆଇନ ଭାବେ ନିଜର ବ୍ୟବସାୟିକ ସ୍ଵାର୍ଥ ପାଇଁ ବ୍ୟବହାର କରୁଛନ୍ତି । ଉପରୋକ୍ତ ଗ୍ରାମ୍ୟ ରାସ୍ତାର ସର୍ବାଧିକ ଓଜନ ସହିବାର କ୍ଷମତା ୧୦ ଟନ୍ ବୋଲି ଧାର୍ଯ୍ୟ ହୋଇଥିବା ବେଳେ ସେମାନେ ପ୍ରତିଦିନ ବଡ଼ ବଡ଼ ହାଇୱା ଗାଡ଼ିରେ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ପଥର ଓ ଗୋଡ଼ି ବାରମ୍ବାର ନେବା ଆଣିବା ଫଳରେ ଉପରୋକ୍ତ ରାସ୍ତା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବା ସହ ବାରମ୍ବାର ଛୋଟ ମୋଟ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ସମ୍ପୃକ୍ତ ମାଲିକ କ୍ରସର ଦେଇ ଜକରାପଲ୍ଲୀକୁ ଯାଇଥିବା ବେଲଘାଇ କେନାଲକୁ କ୍ରସରର ପଥର ଗୁଣ୍ଡ ଓ ଅନ୍ୟାନ୍ୟ ଅବର୍ଜନା ମାଟିକୁ ଜାଣିଶୁଣି ଅବରୋଧ କରିବା ଫଳରେ ତଳମୁଣ୍ଡରେ ଥିବା ଜକରାପଲ୍ଲୀର ଚାଷିମାନଙ୍କର ଶହ ଶହ ଭରଣ ଚାଷଜମି ଜଳସେଚନରୁ ବଂଚିତ ହେଉଛିନ୍ତି,ଫଳରେ ପାଖ ଆଖରେ ଥିବା ଅନେକ ଚାଷଜମି ନଷ୍ଟ ହୋଇ ଚାଷ ପାଇଁ ଅନୁପଯୋଗୀ ହୋଇଯାଇଛି । ଏନେଇ ପରିସ୍ଥିତିରେ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ବାରମ୍ବାର ଅବଗତ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଧମକାଇବା ଅଭିଯୋଗ କରିଛନ୍ତି ।ଆଜିର ଏହି କାର୍ଯ୍ୟକ୍ରମରେ ଅର୍ଜୁନ ବିଷୋୟୀ, ନନ୍ଦ ଜେନା, ସନ୍ତୋଷ ଗøଡ଼, ରାମଚନ୍ଦ୍ର ବିଷୋୟୀ, କାଶୀନାଥ ଗୌଡ଼, ଚଉ ଗøଡ଼,କାଳିଆ ଗୌଡ଼, ଇଶ୍ୱର ବିଷୋୟୀ, ଭୀମସେନ ବିଷୋୟୀ, ଲଡ଼ୁ କିଶୋର ଡ଼ାକୁଆ, ଗଜେନ୍ଦ୍ର ସାହୁ, ବଳରାମ ଗୌଡ଼,ଉତ୍ତମ ନାୟକ,ବିପ୍ର ମଲ୍ଲିକ, ଜଗା ମଲ୍ଲିକ, ମଣ୍ଟୁ ଜେନା,କେ.କେଶବ ଆଚାରୀ, ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ବ୍ରହ୍ମପୁର ଉପ ଜିଲ୍ଲାପାଳ କ୍ରସର ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ପାଇଁ ଦିଗପହଣ୍ଡି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବା ସହ ରିପୋର୍ଟର ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଛନ୍ତି ।ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଓ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ ମଧ୍ୟ ସେମାନଙ୍କୁ ସହଯୋଗ ଓ ସମର୍ଥନ କରିଥିଲେ ।