ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ମେୟର ଓ କମିଶନରଙ୍କ ବିଭିନ ୱାର୍ଡ ପରିଦର୍ଶନ
ବ୍ରହ୍ମପୁର, ୧୫/୦୫ : ଆଗାମୀ ବର୍ଷା ଋତୁରେ ବ୍ରହ୍ମପୁର ସହରକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତିବର୍ଷ ବର୍ଷା ହେଲେ ସହରର ବିଭିନ୍ନ ୱାର୍ଡରେ ନାଳାପାଣି ରାସ୍ତା ଉପରେ ଜମି ରହିବାରୁ ସାଧାରଣ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ବିଶେଷକରି ଗଜପତିନଗର ଓ ଜୟପ୍ରକାଶ ନଗର ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବିଇଏମସି ଏବେଠାରୁ କାର୍ଯ୍ୟଯୋଜନା ଆରମ୍ଭ କରିଛି।ଶୁକ୍ରବାର ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ଓ କମିଶନର ଏ .ସସ୍ୟା ରେଡ୍ଡି ବିଭାଗୀୟ ଅଧିକାରୀମାନଙ୍କ ସହ ଜୟପ୍ରକାଶ ନଗର ଅଞ୍ଚଳ ପରିଦର୍ଶନ କରିଥିଲେ। ସାହି ସାହି ବୁଲି ଅଞ୍ଚଳବାସୀଙ୍କ ସମସ୍ୟା ଅନୁଧ୍ୟାନ କରିବା ସହ ଜଳ ନିଷ୍କାସନ ବ୍ୟବସ୍ଥାରେ ଥିବା ତ୍ରୁଟି ସମ୍ପର୍କରେ ଅବଗତ ହୋଇଥିଲେ। ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମେୟର ନିର୍ଦେଶ ଦେଇଥିଲେ।ବର୍ତ୍ତମାନ ସୁଦ୍ଧା ସହରର ୨୦ରୁ ଅଧିକ ୱାର୍ଡରେ ନାଳ ସଫା କାମ ଚାଲିଥିବାବେଳେ ଆବଶ୍ୟକ ସ୍ଥାନଗୁଡ଼ିକରେ ନୂତନ ନାଳ ନିର୍ମାଣ ଓ ପାଣି ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ କାମ ହାତକୁ ନିଆଯାଇଛି। ଜୟପ୍ରକାଶ ନଗରରେ ବେଆଇନ ଭାବେ ରାସ୍ତା ଅବରୋଧ କରି ନିର୍ମାଣ ହୋଇଥିବା କିଛି ଘରକୁ ଚିହ୍ନଟ କରି ଭଙ୍ଗାଯିବ ବୋଲି ମେୟର ସୂଚନା ଦେଇଛନ୍ତି।ମେୟର ସଂଘମିତ୍ରା ଦଳେଇ କହିଛନ୍ତି ଯେ, ଚଳିତ ବର୍ଷ କୌଣସି ୱାର୍ଡରେ ଯେପରି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ବିଇଏମସି ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ନିଆଯାଇଛି। ଏହାସହ ନିୟମିତ ଭାବେ ନାଳ ସଫା ଓ ଜଳ ନିଷ୍କାସନ ବ୍ୟବସ୍ଥାର ତଦାରଖ ମଧ୍ୟ କରାଯାଉଛି।

ଅନ୍ୟପଟେ କର୍ପୋରେଟର ସମୀର ମିଶ୍ର କହିଛନ୍ତି ଯେ, ଗଜପତିନଗର ଓ ଜୟପ୍ରକାଶ ନଗରରେ ପ୍ରତିବର୍ଷ ଜଳବନ୍ଦୀ ସମସ୍ୟା ଦେଖାଦେଉଥିବାରୁ ନୂତନ ନିର୍ମିତ ନାଳକୁ ଟିପିଏସଓଡିଏଲ୍ କାର୍ଯ୍ୟାଳୟ ଭିତର ଦେଇ ମୁଖ୍ୟ ନାଳ ସହ ସଂଯୋଗ କରାଯାଇଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ।ବର୍ଷା ଋତୁ ପୂର୍ବରୁ ବିଇଏମସି ପକ୍ଷରୁ ନିଆଯାଉଥିବା ଏହି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। ସହରବାସୀଙ୍କ କହିବା ଅନୁସାରେ, ଯଦି ଯୋଜନାବଦ୍ଧ ଭାବେ ନାଳ ସଫା ଓ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଏ, ତେବେ ପ୍ରତିବର୍ଷର ଜଳବନ୍ଦୀ ସମସ୍ୟାରୁ ବହୁ ଅଞ୍ଚଳ ମୁକ୍ତି ପାଇପାରିବ।
