୩ ଲକ୍ଷ ଟଙ୍କା ଟ୍ରାନ୍ସଫର ;ପୋଲିସ ଦ୍ଵାରା ପୀଡ଼ିତା ଉଦ୍ଧାର

କୁକୁଡାଖଣ୍ଡି ,୨୮ /୦୫

ବ୍ରହ୍ମପୁରର ନିମଖଣ୍ଡି ଥାନା ଅଞ୍ଚଳରୁ ଆଇପିଏଲ ବେଟିଂ ଟଙ୍କାକୁ ନେଇ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଟଙ୍କା ଦେବାକୁ ନେଇ ବିବାଦ ପରେ ଜଣେ ଯୁବକଙ୍କୁ ଅପହରଣ କରି ନିର୍ମମ ଭାବରେ ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି।ଖୋଲିକୋଟ କହ୍ନେଇପୁର ଗ୍ରାମର ଟୁଲୁ ଦାସ ନାମକ ଯୁବକ ଆଇପିଏଲ ଓ ଅନଲାଇନ ଗେମିଂ ଆଇଡି ଚଳାଉଥିଲେ। ଭଗବାନ ସ୍ବାଇଁ ଆଇପିଏଲ ବେଟିଂରେ କିଛି ଲକ୍ଷ ଟଙ୍କା ଜିତିଥିଲେ। କିନ୍ତୁ ଟୁଲୁ ଟଙ୍କା ଦେବା ପରିବର୍ତ୍ତେ ତାଙ୍କ ନମ୍ବରକୁ ବ୍ଲକ କରିଦେଇଥିଲେ।ଏହା ପରେ ଭଗବାନ ଏକ ନକଲି ଫେସବୁକ ଆଇଡି (ପାୟଲ ପଣ୍ଡା) ନାମରେ ତିଆରି କରି ମେସେଞ୍ଜର ମାଧ୍ୟମରେ ଟୁଲୁଙ୍କୁ ଯୋଗାଯୋଗ କରିଥିଲେ। ଗତ ୨୭ ତାରିଖରେ ଟୁଲୁଙ୍କୁ ଶକ୍ତି ନଗରକୁ ଡାକି ନେଇ ଅଭିଯୁକ୍ତମାନେ ଏକ ଘରେ ବନ୍ଦ କରି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ତାଙ୍କୁ ଗାଡ଼ିରେ ଅପହରଣ କରାଯାଇଥିଲା।ଅଭିଯୁକ୍ତମାନେ ଟୁଲୁଙ୍କ ଫୋନପେରୁ ୩ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ସହ ଅନ୍ୟାନ୍ୟ ଟଙ୍କା ମଧ୍ୟ ଆଦାୟ କରିଥିଲେ। ଏହାସହ ଟୁଲୁଙ୍କଠାରୁ ନଗଦ ଟଙ୍କା ଓ ମୋବାଇଲ ଫୋନ ମଧ୍ୟ ଛିନିନେଇଥିଲେ।ଘଟଣାକୁ ନେଇ ପରିବାର ଲୋକେ ନିମଖଣ୍ଡି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଦିଗପାହାଣ୍ଡି ଥାନା ଅନ୍ତର୍ଗତ କୋଟିନାଡା ଗ୍ରାମର ଭଗବାନ ସ୍ବାଇଁ, ସନାତନ ବିଷୋୟୀ,ଶିପୁନ ସ୍ବାଇଁ ଓ ନିମଖଣ୍ଡି ଥାନା ଶକ୍ତିନାଗର ଅଞ୍ଚଳର ପ୍ରିହାନ ନାୟକ ଓରଫ ଭକିଙ୍କୁ ଗିରଫ କରିଛି।ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୧ ଲକ୍ଷ ଟଙ୍କା, ଗୋଟିଏ ଲୁହା ରୋଡ଼, ଗୋଟିଏ କାର ଓ ଚାରୋଟି ମୋବାଇଲ ଜବତ କରିଛି। ସେହିପରି ପୋଲିସ ଟୁଲୁଙ୍କୁ ସୁରକ୍ଷିତ ଉଦ୍ଧାର ହୋଇଥିବା ନେଇ କହିଛନ୍ତି ବ୍ରହ୍ମପୁର ଏସ୍ପି ଡ଼ା ସର୍ବଣା ବିବେକ ଏମ ।

Leave a Reply

Your email address will not be published. Required fields are marked *