ବ୍ରହ୍ମପୁର, ୧୨/୦୫(ବ୍ୟୁରୋ)ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛି ଗଞ୍ଜାମ ଜିଲ୍ଲା ବିଜେଡି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିବା ବେଳେ ବ୍ରହ୍ମପୁର ରେଭେନ୍ୟୁ ଡାକବଙ୍ଗଳା ପରିସରରେ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଏହି ସମ୍ମିଳନୀରେ ଯୋଗଦେଇ ବରିଷ୍ଠ ବିଜେଡି ନେତାମାନେ ଅଭିଯୋଗ କରିଥିଲେ ଯେ, ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଅପରାଧୀମାନେ ଖୋଲାଖୋଲି ଭାବେ ହତ୍ୟା, ହତ୍ୟା ଉଦ୍ୟମ ଓ ମହିଳାଙ୍କ ଉପରେ ନିର୍ଯାତନା ଭଳି ଘଟଣା ଘଟାଉଥିବା ବେଳେ ସରକାର ଆଇନ ଶୃଙ୍ଖଳା ରକ୍ଷାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି,ଏପରିକି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ଆଇନ ଶୃଙ୍ଖଳା ବିଗଡ଼ିବାରେ ଲାଗିଛି । ଗତ ଏକ ମାସ ମଧ୍ୟରେ ଜିଲ୍ଲାରେ ୧୦ରୁ ଅଧିକ ଅପରାଧିକ ଘଟଣା ଘଟିଥିବା ବେଳେ, ସେଥିମଧ୍ୟରୁ ଦୁଇଟି ଅପହରଣ ପରେ ହତ୍ୟା ଘଟଣା ଏବଂ ହିଞ୍ଜିଳି ଅଞ୍ଚଳରେ ନିଜ ହକ ପାଇଁ ତିନି ବର୍ଷର ଶିଶୁକୁ ଧରି ବସିଥିବା ଜଣେ ମହିଳାଙ୍କୁ ହତ୍ୟା କରାଯିବା ଘଟଣା ଜିଲ୍ଲାର ଉଦ୍ବେଗଜନକ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସ୍ପଷ୍ଟ କରୁଛି ।ତେଣୁ ରାଜ୍ୟ ସରକାର ତୁରନ୍ତ ଆଇନ ଶୃଙ୍ଖଳା ସ୍ଥିତି ସୁଧାରିବାକୁ ପଦକ୍ଷେପ ନେବାକୁ ଦଳ ପକ୍ଷରୁ ଦାବି କରାଯାଇଥିଲା ।

ଯଦି ସରକାର ଏନେଇ ତୁରନ୍ତ ପଦକ୍ଷେପ ନେନ୍ତି ନାହିଁ, ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ନେତାମାନେ ସଚେତନ କରାଇଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୋରଡ଼ାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବରିଷ୍ଠ ବିଜେଡି ନେତ୍ରୀ ତଥା ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, ବିଜେଡିର ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ସୁବାଷ ମହାରଣା। ରାଜ୍ୟ ଯୁବସଭାପତି ପ୍ରଶାନ୍ତ ପଣ୍ଡା, ସୁଜାତା ପତ୍ର।, ନଚିକେତା ସ୍ବାଇଁ,ନୀହାର ଶତପଥିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
