ବିଜେଡିର ବହୁ ସରପଞ୍ଚ,ସମିତି ସଭ୍ୟଙ୍କ ସହ ହଜାରରୁ ଅଧିକ କର୍ମୀ ପଦ୍ମ ଧରିଲେ

ଖଲ୍ଲିକୋଟ, ୧୨/୦୫(ବ୍ୟୁରୋ)ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱ ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକାଶ କରି ବିଜେଡିର ବହୁ ନେତା, ସରପଞ୍ଚ, ସମିତି ସଭ୍ୟ ଓ ତୃଣମୂଳସ୍ତରର କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି।ଖଲ୍ଲିକୋଟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଖଲ୍ଲିକୋଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ ବିଜେଡିର ବହୁ ପ୍ରମୁଖ ନେତା ବିଜେପିରେ ଯୋଗଦେଇଥିଲେ। ଖଲ୍ଲିକୋଟ ବ୍ଲକର ତୁଳସୀପୁର, ଖୋଜାପଲ୍ଲୀ, ଆଇତିପୁର ଓ କନ୍ନହେଇପୁର ପଞ୍ଚାୟତର ବିଜେଡି ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ସହ ବହୁ କର୍ମୀ ବିଜେପିର ଟୋପି ଓ ଉତ୍ତରୀୟ ପରିଧାନ କରି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଥିଲେ।ମିଶ୍ରଣ ପର୍ବରେ ଉପସ୍ଥିତ ନେତାମାନେ କହିଥିଲେ ଯେ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକମୁଖୀ ନୀତି,ସ୍ୱଚ୍ଛ ଶାସନ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ସେମାନେ ବିଜେପିରେ ଯୋଗଦେବାକୁ ସିଦ୍ଧାନ୍ତ ନେଇଛନ୍ତି।ଏହି ମିଶ୍ରଣ ପର୍ବରେ ପ୍ରାୟ ୧୦୦୦ରୁ ୧୫୦୦ ପର୍ଯ୍ୟନ୍ତ ବିଜେଡି କର୍ମୀ ବିଜେପିରେ ଯୋଗଦେଇଥିବା ଜଣାପଡ଼ିଛି। ଏହାକୁ ଖଲ୍ଲିକୋଟ ରାଜନୈତିକ ପରିବେଶରେ ବିଜେପି ପାଇଁ ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି।