କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ

ବ୍ରହ୍ମପୁର,୧୦.୫.୨୦୨୬ (ବ୍ୟୁରୋ ): ଚିକିଟି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସ୍ୱର୍ଗତ ବି. ଦଣ୍ଡପାଣି ପାତ୍ରଙ୍କ ମୃତ୍ୟୁ ଘଟଣାରେ ଚିକିଟିର ଅତିରିକ୍ତ ତହସିଲଦାର ଶ୍ରୀମତୀ ଶାଶ୍ୱତୀ ଷଡଙ୍ଗୀଙ୍କୁ ଦାୟୀ କରି ମୃତକଙ୍କ ପତ୍ନୀ ଶ୍ରୀମତୀ ବି. ଜାନକି ପାତ୍ର ବ୍ରହ୍ମପୁରରେ ସାମ୍ବାଦିକ ସମ୍ମିଳନୀ କରି ନ୍ୟାୟ ଦାବି କରିଛନ୍ତି।ସେ କହିଛନ୍ତି ଯେ, ଗତ ଫେବୃଆରୀ ୩ ତାରିଖରେ ସୁନାପୁର ବେଳାଭୂମି ମହୋତ୍ସବ ସମୟରେ ତାଙ୍କ ସ୍ୱାମୀ କାର୍ଯ୍ୟରତ ଥିବାବେଳେ ଝାଟିପଦର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଚିକିଟି ଅତିରିକ୍ତ ତହସିଲଦାର ଶ୍ରୀମତୀ ଷଡଙ୍ଗୀ ସର୍ବସମ୍ମୁଖରେ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ମିଥ୍ୟା ଅଭିଯୋଗ ଆଣି ଅପମାନିତ କରିଥିଲେ। ଏହାର ପ୍ରଭାବରେ ତାଙ୍କ ସ୍ୱାମୀ ଗୁରୁତର ମାନସିକ ଚାପରେ ପଡ଼ି ମାନସିକ ଭାରସାମ୍ୟ ହରାଇ ପରଦିନ ଅର୍ଥାତ୍ ଫେବୃଆରୀ ୪ ତାରିଖରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆତ୍ମହତ୍ୟା ପୂର୍ବରୁ ଲେଖିଥିବା ଏକ ହସ୍ତଲିଖିତ ନୋଟ୍‌ରେ ସେ ଚିକିଟିର ମହିଳା ଏଟିଓ ଶ୍ରୀମତୀ ଶାଶ୍ୱତୀ ଷଡଙ୍ଗୀଙ୍କୁ ଏଥିପାଇଁ ଦାୟୀ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୪ ଦିନ ଧରି ଚିକିତ୍ସାଧୀନ ରହିବା ପରେ ଗତ ଫେବୃଆରୀ ୧୭ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତକଙ୍କ ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ୍ କୌଣସି ପଦକ୍ଷେପ ନେଇନଥିବା କିମ୍ବା ଆତ୍ମହତ୍ୟା ନୋଟ୍‌ ସମ୍ପର୍କରେ ପୋଲିସ୍‌କୁ ସୂଚନା ଦେଇଥିଲେ ମଧ୍ୟ ତାହାକୁ ଜବତ ନକରି ଚାପର ବଶବର୍ତ୍ତୀ ହୋଇ ମହିଳା ଏଟିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ ଶ୍ରୀମତୀ ବି. ଜାନକି ପାତ୍ର।