ପୁରୁଷୋତ୍ତମପୁର, ୧୦/୫(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ରବିବାର ସନ୍ଧ୍ୟାରେ ଗ୍ୟାସ ସିଲିଣ୍ଡର ଲଗାଇବା ସମୟରେ ଅଗ୍ନିକାଣ୍ଡ ଘଟି ସିଲିଣ୍ଡର ବିସ୍ଫୋରଣ ହେବାରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଇଣ୍ଡିଆନ ଗ୍ୟାସର ଡେଲିଭେରି କର୍ମଚାରୀ ପ୍ରଶ୍ନ କୁମାର ନାହାକ (୪୦), ଶୋଭା ନାହାକ (୬୦), ପାଣ୍ଡା ନାହାକ (୪) ଓ ଖୁସି ନାହାକ (୩)।ସୂଚନା ଅନୁଯାୟୀ, ସୁନାଥର ଗ୍ରାମର ଶୋଭା ନାହାକ ଘରୋଇ ଗ୍ୟାସ ପାଇଁ ବୁକିଂ କରିଥିଲେ। ରବିବାର ସନ୍ଧ୍ୟାରେ ଇଣ୍ଡିଆନ ଗ୍ୟାସର ଡେଲିଭେରି କର୍ମଚାରୀ ପ୍ରଶ୍ନ କୁମାର ନାହାକ ଗ୍ୟାସ ସିଲିଣ୍ଡର ପହଞ୍ଚାଇ ଲଗାଇବା ବେଳେ ହଠାତ୍ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଯାଇଥିଲା। ପରେ ସିଲିଣ୍ଡର ବିସ୍ଫୋରଣ ହେବାରୁ ଘରର ଟିଣ ଛାଦ ଉଡ଼ିଯାଇଥିଲା।ଘଟଣାରେ ଗ୍ୟାସ କର୍ମଚାରୀଙ୍କ ସହ ଘରର ବୃଦ୍ଧା ମହିଳା ଓ ଦୁଇ ଶିଶୁ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭାତକୁମରଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ପରେ ପ୍ରଶ୍ନ କୁମାର ନାହାକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସମ୍ପର୍କରେ ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଏଏସଆଇ ସୁଶାନ୍ତ ମିଶ୍ର ସୂଚନା ଦେଇଛନ୍ତି।
