ବ୍ରହ୍ମପୁର, ୮/୫(ବ୍ୟୁରୋ) ପୁଲିସ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହ କିଶୋର–କିଶୋରୀମାନଙ୍କୁ ସଚେତନ ଓ ସଶକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସର ମହିଳା ଓ ଶିଶୁ ବିରୋଧୀ ଅପରାଧ ଶାଖା (CAW & CW Wing) ପକ୍ଷରୁ ୟୁନିସେଫ୍‌ର ସହଯୋଗରେ ରାଜ୍ୟବ୍ୟାପୀ “ଜୁଭେଣ୍ଟିକା – ସିଡବ୍ଲ୍ୟୁପିଓ ଆଉଟ୍ରିଚ୍‌ ୱିଥ୍‌ ଆଡୋଲେସେଣ୍ଟସ୍‌” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।ଏହି କାର୍ଯ୍ୟକ୍ରମକୁ ଗୁରୁବାର ସନ୍ଧ୍ୟା ୪ଟାରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଯୁଗଳ କିଶୋର ଖୁରାନିଆ, ଆଇପିଏସ୍‌ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ। ରାଜ୍ୟର ସମସ୍ତ ଅଂଶଗ୍ରହଣକାରୀ ଥାନାରେ ସନ୍ଧ୍ୟା ୪ଟାରୁ ୬ଟା ପର୍ଯ୍ୟନ୍ତ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଜିଟାଲ ସୁରକ୍ଷା, ସାଇବର ସିକ୍ୟୁରିଟି, ମାନସିକ ସ୍ୱାସ୍ଥ୍ୟ, ଶିଶୁ ଅଧିକାର ଏବଂ ଦାୟିତ୍ୱପୂର୍ଣ୍ଣ ଇଣ୍ଟରନେଟ ବ୍ୟବହାର ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା।ଜୁଭେନାଇଲ୍‌ ଜଷ୍ଟିସ୍‌ ଆକ୍ଟ ଅନୁଯାୟୀ ପ୍ରତ୍ୟେକ ଥାନାରେ ନିଯୁକ୍ତ ଚାଇଲ୍ଡ ୱେଲଫେୟାର ପୁଲିସ ଅଫିସର୍‌ (CWPO)ମାନେ ଏହି କାର୍ଯ୍ୟକ୍ରମର ପ୍ରମୁଖ ଭୂମିକା ନିଭାଉଛନ୍ତି। ଶିଶୁ ସମ୍ପର୍କିତ ସମସ୍ତ ମାମଲାରେ ସମ୍ବେଦନଶୀଳ ଓ ଶିଶୁ-ବନ୍ଧୁ ପଦ୍ଧତିରେ କାର୍ଯ୍ୟ କରିବା, ଶିଶୁ ଅଧିକାର ସୁରକ୍ଷା, ଚାଇଲ୍ଡ ୱେଲଫେୟାର କମିଟି ଓ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ସହ ସମନ୍ୱୟ ରଖିବା ସହ ଏପରି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବା ପୋଲିସ ର ତ ଦାୟିତ୍ୱ ରହିଛି କହିଥିଲେ ।

ବ୍ରହ୍ମପୁର ପୁଲିସ ଜିଲ୍ଲାର ୧୨ଟି ଥାନା ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଥାନାରେ ୨୫ ଜଣ କରି ମୋଟ ୩୦୦ ଜଣ କିଶୋରୀ ଏହି ସଚେତନତା ଶିବିରରେ ଯୋଗଦେଇଥିଲେ। ଏହା ସହ ଅଙ୍ଗନବାଡ଼ି କର୍ମୀ ଓ ଅଭିଭାବକମାନେ ମଧ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମୁଦାୟ ଭିତ୍ତିକ ରୂପ ଦେଇଥିଲେ।ଗୋସାଇନୂଆଗାଁ ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଆଇଜି ଶ୍ରୀ ନୀତି ଶେଖର, ଆଇପିଏସ୍‌ ଓ ବ୍ରହ୍ମପୁର ଏସ୍‌ପି ସରବଣା ବିବେକ ଏମ୍‌, ଆଇପିଏସ୍‌ ବ୍ୟକ୍ତିଗତ ଭାବେ ଯୋଗଦେଇଥିଲେ। ଏଠାରେ ସାଇବର ସୁରକ୍ଷା ଓ ସାଇବର ବୁଲିଂ ସମ୍ପର୍କିତ ସଚେତନତା ଭିଡିଓ ପ୍ରଦର୍ଶନ କରାଯାଇଥିଲା। କିଶୋରୀମାନଙ୍କୁ ଆତ୍ମହାନି ପ୍ରବୃତ୍ତିରୁ କିପରି ଦୂରେଇ ରହିବେ, ମାନସିକ ଚାପର ପ୍ରାରମ୍ଭିକ ଲକ୍ଷଣ କିପରି ଚିହ୍ନଟ କରିବେ ଓ ଏପରି ସମୟରେ ହେଲ୍ପଲାଇନ୍‌ ନମ୍ବରର ସହାୟତା କିପରି ନେବେ ସେନେଇ ସଚେତନ କରାଯାଇଥିଲା।ଏହାସହ ପୁଲିସ ଥାନାର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ଓ ସାଧାରଣ କାମକାଜ ସମ୍ପର୍କରେ ମଧ୍ୟ କିଶୋରୀମାନଙ୍କୁ ଅବଗତ କରାଯାଇଥିଲା, ଯାହା ଦ୍ୱାରା ସେମାନେ ପୁଲିସ ପ୍ରତି ଭୟମୁକ୍ତ ହୋଇ ଆବଶ୍ୟକ ସମୟରେ ନିର୍ଭୟରେ ସହଯୋଗ ନେବାକୁ ଆଗେଇ ଆସିପାରିବେ।ଓଡ଼ିଶାର ସମସ୍ତ ଜିଲ୍ଲାରେ ଏହି “ଜୁଭେଣ୍ଟିକା” କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ନିୟମିତ ଭାବେ ଜାରି ରଖାଯିବ। ପୁଲିସ, ପରିବାର, ବିଦ୍ୟାଳୟ ଓ ସମୁଦାୟ ମଧ୍ୟରେ ସକାରାତ୍ମକ ସମ୍ପର୍କ ଗଢ଼ି ତୋଳିବା ସହ କିଶୋର–କିଶୋରୀମାନଙ୍କ ପାଇଁ ସୁରକ୍ଷିତ ଡିଜିଟାଲ ଓ ସାମାଜିକ ପରିବେଶ ସୃଷ୍ଟି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।