ବ୍ରହ୍ମପୁର, ୧୦/୦୫ :
ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘ ପକ୍ଷରୁ ୧୧ତମ ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ପ୍ରଶିକ୍ଷଣ ଶିବିରର ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଏଥଲେଟିକ୍ସ ସଂଘର ସମ୍ପାଦକ ଜେ. କାମେଶ୍ୱର ରାଓ, ଡାକ୍ତର ଦିବ୍ୟାନୀ ଦେଓ, ସ୍ଥାନୀୟ କର୍ପୋରେଟର ପ୍ରଦୀପ ଶତପଥୀ, ଜିଲ୍ଲା ହ୍ୟାଣ୍ଡବଲ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳ, ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ, ସାଙ୍ଗଠନିକ ସମ୍ପାଦକ ଶକ୍ତୀଧର ରାଜଗୁରୁ, ଉପସଭାପତି ରାଜେଶ କୁମାର ସାହୁ, ଯୁବନେତା ଅଜୟ କୁମାର ମହାରଣା ଏବଂ କୋଷାଧ୍ୟକ୍ଷ ଡାକ୍ତର ମନୋଜ କୁମାର ପାତ୍ର ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ନୂତନ ଜର୍ସିର ଉନ୍ମୋଚନ କରିଥିଲେ।ଚଳିତ ବର୍ଷ ଏହି ପ୍ରଶିକ୍ଷଣ ଶିବିରରେ ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୨୫ ଜଣ କୋଚ୍ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି।

ଏନ୍.ଆଇ.ଏସ୍ କୋଚ୍ ପ୍ରଶାନ୍ତ କୁମାର ରଥ ମୁଖ୍ୟ କୋଚ୍ ଭାବେ ଏହି ଗ୍ରୀଷ୍ମକାଳୀନ ହ୍ୟାଣ୍ଡବଲ ଶିବିରକୁ ପରିଚାଳନା କରୁଛନ୍ତି।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବିଧାୟକ କେ. ଅନିଲ କୁମାର ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ବ୍ରହ୍ମପୁର ଷ୍ଟାଡିୟମରେ ହ୍ୟାଣ୍ଡବଲ ଖେଳାଳିମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଗ୍ରାଉଣ୍ଡ ନିର୍ମାଣ ପାଇଁ ପ୍ରୟାସ ଚାଲିଥିବା ସୂଚନା ଦେଇଥିଲେ।ଏହି ଏକମାସିଆ ପ୍ରଶିକ୍ଷଣ ଶିବିର ଆସନ୍ତା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି।ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ପାଇଁ ଆସିଥିବା ଖେଳାଳିମାନଙ୍କ ଅଭିଭାବକମାନେ ମଧ୍ୟ ଉପସ୍ଥିତ ରହି ସଂଘ ପକ୍ଷରୁ ହୋଇଥିବା ଆୟୋଜନକୁ ପ୍ରଶଂସା କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଶେଷରେ ଖେଳାଳିଙ୍କ ଦ୍ୱାରା ସାଂସ୍କୃତିକ ଓ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
